Unknown

 

 

 

 

 

 

 

 

 

 

ହୁକୁକୁଲ୍ଲା

ଈଶ୍ଵରଙ୍କ ଅଧିକାର

ଜିତେନ ମିଶ୍ର

 

ପରିଚୟ

(Preface)

 

ଏହି କ୍ଷୁଦ୍ର ପୁସ୍ତିକା ଆଶିଷମୟ ସୌନ୍ଦର୍ଯ୍ୟ ବାହ’ଓଲ୍ଲହ୍‌ଙ୍କ ଅନୁରକ୍ତ ବିଶ୍ଵାସୀମାନଙ୍କୁ ହୁକୁକୁଲ୍ଲା ବା ଈଶ୍ଵରଙ୍କ ଅଧିକାରର ନିୟମ ସମ୍ବନ୍ଧରେ ଯଦିଓ ବିଷଦ ଭାବରେ ନୁହେଁ, ତଥାପି ମଧ୍ୟ ଆବଶ୍ୟକୀୟ ତଥ୍ୟ ନିଶ୍ଚିତ ଭାବରେ ପ୍ରଦାନ କରିବ । ବାହ’ଓଲ୍ଲହ୍‌ଙ୍କ ଉକ୍ତ ନିୟମର ମହାନତା ବିଷୟରେ ସମ୍ପୂର୍ଣ୍ଣ ଭାବରେ ଯେହେତୁ ଏଭଳି ଏକ କ୍ଷୁଦ୍ର ପୁସ୍ତିକାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ, ତେଣୁ ଏହି ପୁସ୍ତିକାରେ କେବଳ ସେହି ତଥ୍ୟଗୁଡ଼ିକ ପ୍ରଦାନ କରାଯାଇଛି ଯହାକି ଏହି ନିୟମକୁ ପାଳନ କରିବା ପାଇଁ ଇଚ୍ଛୁକ ବିଶ୍ଵାସୀମାନଙ୍କ ପକ୍ଷରେ ଜାଣିବା ଅତୀବ ଆବଶ୍ୟକ ଅଟେ ।

 

୧୯୯୨ ମସିହା ରିଜ୍‌ଭାନ ପର୍ବଠାରୁ ଈଶ୍ଵରଙ୍କ ଏହି ପବିତ୍ର ନିୟମ ସମସ୍ତ ବାହ’ଈମାନଙ୍କ ନିୟମିତ ଅଭ୍ୟାସ ନିମନ୍ତେ ଲାଗୁକରାଯାଇଛି ଏବଂ ଅଭ୍ରାନ୍ତ ସଂସ୍ଥା ବିଶ୍ଵନ୍ୟାୟ ମନ୍ଦିର ତାଙ୍କର ୧୯୯୧ ମସିହା ରିଜ୍‌ଭାନ ବାର୍ତ୍ତାରେ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ । ଓଡ଼ିଶାର ବାହ’ଈମାନେ ଏହି ନିୟମ ସାର୍ବଜନୀନ ଭାବରେ ଲାଗୁ ହେବା ପୂର୍ବରୁ ମଧ୍ୟ ଏହାକୁ ଅତ୍ୟନ୍ତ ଭକ୍ତିର ସହିତ ପାଳନ କରୁଥିଲେ ଏବଂ ବର୍ତ୍ତମାନ ଯେତେବେଳେ କି ଏହି ନିୟମ ସମସ୍ତଙ୍କ ନିମନ୍ତେ ଲାଗୁହୋଇଛି, ସେତେବେଳେ ପ୍ରତ୍ୟେକ ବହା’ଈ ଏହି ନିୟମ ସମ୍ବନ୍ଧରେ ଆବଶ୍ୟକୀୟ ତଥ୍ୟ ଜାଣିବା ବାଞ୍ଛନୀୟ ବୋଲି ଅନୁଭବ କରାଯାଇଥିବାରୁ ରାଜ୍ୟ ବାହା’ଈ ପରିଷଦ ଏପରି ଏକ ନିଷ୍ପତ୍ତି ନେଲେ ଯେ ଆମର ବିଶ୍ଵାସୀମାନଙ୍କ ନିମନ୍ତେ ହୁକୁକୁଲ୍ଲା ନିୟମ ବିଷୟରେ ଏକ କ୍ଷୁଦ୍ର ପୁସ୍ତିକା ପ୍ରସ୍ତୁତ କରାଯିବ । ଉପରୋକ୍ତ ନିଷ୍ପତ୍ତି ଅନୁଯାୟୀ ଉକ୍ତ ପୁସ୍ତିକାଟି ପ୍ରକାଶିତ ହୋଇଛି ଯାହାଫଳରେ ଅଧିକରୁ ଅଧିକ ସଂଖ୍ୟାରେ ବହା’ଈମାନେ ଏହି ନିୟମର ମହାନତା ବିଷୟରେ ଅବଗତ ହୋଇ ଏହାକୁ ପାଳନ କରିବା ପାଇଁ ଆଗଭର ହେବେ ।

 

ଆମର ଆଶା ତଥା ବିଶ୍ଵାସ ଯେ ଏହି ପୁସ୍ତିକା ପ୍ରକାଶିତ ହେବା ଫଳରେ ବାହ’ଈମାନେ ନିଶ୍ଚିତ ଭାବରେ ଉପକୃତ ହେବେ ଏବଂ ପରମାତ୍ମାଙ୍କ ଏହି ପବିତ୍ର ନିୟମ ପାଳନ କରିବାକୁ ସମର୍ଥ ହେବେ ।

 

“ହୁକୁକୁଲ୍ଲା ବାସ୍ତବିକ ଏକ ମହାନ୍‌ ନିୟମ । ଏହାକୁ ପ୍ରଦାନ କରିବାପାଇଁ ସମସ୍ତଙ୍କ ଉପରେ କର୍ତ୍ତବ୍ୟ ସ୍ଵରୂପ ଏହା ନିପତିତ ହୋଇଛି କାରଣ ଏହା ଅନୁଗ୍ରହ, ପର୍ଯ୍ୟାପ୍ତି ଓ ସମସ୍ତ ଉତ୍ତମତାର ଉତ୍ସ ଅଟେ । ସର୍ବାଧିକାରୀ ଓ ସର୍ବ-ବଦାନ୍ୟଶୀଳ ଈଶ୍ଵରଙ୍କ ସାମ୍ରାଜ୍ୟ ଗୁଡ଼ିକର ଜଗତ ମଧ୍ୟରେ ଉପରୋକ୍ତ ଉପହାର ପ୍ରତ୍ୟେକ ଆତ୍ମାଙ୍କ ସହିତ ଉପସ୍ଥିତ ରହିବ ।”

 

-ବାହ’ଓଲ୍ଲହ୍

 

ହୁକୁକୁଲ୍ଲା କ’ଣ ?

 

ହୁକୁକୁଲ୍ଲା ଏକ ଆରବିକ୍ ଶବ୍ଦ ଯାହାର ଅର୍ଥ “ଭଗବାନଙ୍କର ଅଧିକାର” । ବାହ’ଓଲ୍ଲହ୍‌ଙ୍କ ଉକ୍ତ ହୁକୁକୁଲ୍ଲା ନିୟମଟି ଅଭୂତପୂର୍ବ ଅଟେ ଏବଂ ବିଗତ ଧର୍ମମାନଙ୍କରେ ଏଭଳି ଦୃଢ଼ ତଥା ଶକ୍ତିଶାଳୀ ନିୟମ ନିର୍ଦ୍ଧାରିତ ହୋଇନଥିଲା । ଚୁକ୍ତିର କେନ୍ଦ୍ରବିନ୍ଦୁ ଆବଦୋଇ-ବାହଙ୍କ ଭାଷାରେ, ଏହି ନିୟମର ପାଳନ ବିଶ୍ଵାସୀମାନଙ୍କୁ ଧର୍ମରେ ଦୃଢ଼ ଓ ଏକନିଷ୍ଠ କରାଇବା ପାଇଁ ଏକ ପରୀକ୍ଷା ସ୍ଵରୂପ ଅଟେ । ଏହି ଅମୂଲ୍ୟ ନିୟମକୁ ସ୍ଵୟଂ ବାହ’ଓଲ୍ଲହ୍ ନିଜେ ଅକଳନୀୟ ଉପକାର ଓ ବିଜ୍ଞତାର ସହ ଭୂଷିତ କରିଛନ୍ତି । ବାହ’ଓଲ୍ଲହ୍‌ ତାଙ୍କର ଏହି ନିୟମକୁ ତାଙ୍କ ସର୍ବ-ପବିତ୍ରତମ ଗ୍ରନ୍ଥ କିତାବ୍‌-ଇ-ଆକ୍‌ଦାସରେ ନିର୍ଦ୍ଧାରିତ କରିଛନ୍ତି । ଏହି ନିୟମର ସର୍ତ୍ତକୁ ପୂରଣ କରୁଥିବା ପ୍ରତ୍ୟେକ ବାହ’ଈ ଉକ୍ତ ନିୟମ ପାଳନ କରିବାପାଇଁ ଆଧ୍ୟାତ୍ମିକ ଭାବରେ ବାଧ୍ୟ ଅଟନ୍ତି ଏବଂ ଏହି ନିୟମ ଏତେ ଦୃଢ଼ ଯେ ଯେଉଁ ବିଶ୍ଵାସୀ ସର୍ତ୍ତଗୁଡ଼ିକ ପୂରଣ କରି ମଧ୍ୟ ଏହି ନିୟମକୁ ପାଳନ କରନ୍ତି ନାହିଁ; ସେ ପରମାତ୍ମାଙ୍କଠାରେ ପ୍ରତାରଣା କରିଛନ୍ତି ବୋଲି କୁହାଯାଏ । ବାହ’ଓଲ୍ଲହ୍‍ଙ୍କ ଭାଷାରେ “ଯେଉଁ ବ୍ୟକ୍ତି ଭଗବାନଙ୍କ ସହିତ କୃତ୍ରିମ ଭାବରେ ବ୍ୟବହାର କରନ୍ତି, ତାଙ୍କର ଅନ୍ୟାୟ ପ୍ରକାଶିତ ହୋଇଯିବ” । ପୁଣି ଆବଦୋଲ୍-ବାହ କୁହନ୍ତି ଯେ ପରମାତ୍ମା ସମସ୍ତଙ୍କ ଠାରୁ ଊର୍ଦ୍ଧ୍ୱରେ ଥାଇ ସ୍ଵାଧୀନ ହେଲେ ମଧ୍ୟ ତାଙ୍କ ଅକଳନୀୟ ବଦାନ୍ୟତାର ପ୍ରତୀକ ସ୍ଵରୂପ ସେ ତାଙ୍କ ସେବକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ “ଈଶ୍ଵରଙ୍କ ଅଧିକାର”ର ଅନୁଦାନ ହିସାବରେ ନିଜ କର୍ତ୍ତବ୍ୟ ବୋଲି ଚିନ୍ତା କରି ପ୍ରଦାନ କରିବା ପାଇଁ ଅନୁଗ୍ରହ କରିଛନ୍ତି । ଏପରିକି ଧର୍ମପ୍ରତି ସ୍ଵେଚ୍ଛାକୃତ ଅନୁଦାନଠାରୁ ମଧ୍ୟ ହୁକୁକୁଲ୍ଲା ବା’ ‘‘ଈଶ୍ଵରଙ୍କ ଅଧିକାର” ନିୟମର ପାଳନ ଅଧିକ ଗୁରୁତ୍ଵପୂର୍ଣ୍ଣ ଏବଂ ପ୍ରଥମେ ଏହି ନିୟମର ପାଳନ ହେବା ଉଚିତ । ଏହି ନିୟମର ସର୍ତ୍ତକୁ ପୂରଣ କରୁଥିବା ପ୍ରତ୍ୟେକ ଅନୁଗାମୀ ନିୟମକୁ ପାଳନ କରିବାରେ ବିଶ୍ଵସ୍ତ ହେବା ଉଚିତ । କାରଣ ବାହ’ଓଲ୍ଲହ୍‌ଙ୍କ ବିଶ୍ଵ ବ୍ୟବସ୍ଥାର ଭିତ୍ତିନିର୍ମାଣ ନିମନ୍ତେ ଏହା ଏକ ପ୍ରଧାନ ମାଧ୍ୟମ ଅଟେ । ବାହ’ଓଲ୍ଲହ୍‌ଙ୍କ ଏହି ନିୟମ ପ୍ରଣୟନ କରି ଧର୍ମର ବିଶ୍ଵ କେନ୍ଦ୍ରକୁ ଏକ ନିୟମିତ ଓ ଶୃଙ୍ଖଳିତ ଆୟର ଉତ୍ସପ୍ରଦାନ କରିଛନ୍ତି ଓ ଆମକୁ ନିଶ୍ଚିତ କରାଇଛନ୍ତି ଯେ ଏହି ବିଶ୍ଵକେନ୍ଦ୍ର ଏହା ଫଳରେ ସ୍ଵାଧୀନ ଭାବରେ ଓ ନିଷ୍ପତ୍ତିମୂଳକ ଭାବରେ କାର୍ଯ୍ୟକରିପାରିବ । ଏହି ନିୟମ ପ୍ରଣୟନ କରି ବାହ’ଓଲ୍ଲହ୍‍ ବ୍ୟକ୍ତିଗତ ବିଶ୍ଵାସୀ ଓ ଧର୍ମର ମୁଖ୍ୟଙ୍କ ମଧ୍ୟରେ ଏକ ପ୍ରତ୍ୟକ୍ଷ ସମ୍ପର୍କ ପ୍ରତିଷ୍ଠା କରିଛନ୍ତି, ଯାହାକି ତାଙ୍କ ବିଶ୍ଵ ବ୍ୟବସ୍ଥା ମଧ୍ୟରେ ଅନନ୍ୟ ଅଟେ । ଏହି ନିୟମକୁ ପାଳନ କରିବା ନିଷ୍ପତ୍ତି କେବଳ ବିଶ୍ଵାସୀଙ୍କର ବିବେକ କରିବା ଉଚିତ ବୋଲି ନିର୍ଦ୍ଧାରିତ ହୋଇଛି । ଯଦିଓ ଏହି ନିୟମର ପାଳନ ଓ ଲାଗୁକରଣ ନୂତନ ବାହ’ଈ ବିଶ୍ଵ ରାଜ୍ୟଗୋଷ୍ଠୀର ଆର୍ଥିକ ସ୍ଵଚ୍ଛଳତା ନିମନ୍ତେ ଅତ୍ୟନ୍ତ ଆବଶ୍ୟକ ଅଟେ, ତଥାପି ମଧ୍ୟ ଏହାର ପାଳନ ବିଶ୍ଵାସୀମାନଙ୍କ ପରିପକ୍ଵତା ଓ ବିବେକ ଉପରେ ଛାଡ଼ିଦିଆ ଯାଇଛି । ଯେତେବେଳେ ବିଶ୍ଵାସୀମାନେ ଏହି ନିୟମକୁ ଅଧିକ ସଂଖ୍ୟାରେ ପାଳନ କରିବା ପାଇଁ ଆଗଭର ହୋଇଉଠିବେ, ସେତେବେଳେ ଆମେ ବାହ’ଓଲ୍ଲହ୍‌ଙ୍କର ଅନ୍ୟ କେତେକ ମୂଳନୀତି ବିଷୟରେ ଉତ୍ତମ ଭାବରେ ମଧ୍ୟ ହୃଦୟଙ୍ଗମ କରିପାରିବା ଯଥା:– ଅତିରିକ୍ତ ଧନାଢ଼୍ୟତା ଓ ଦାରିଦ୍ର୍ୟତାର ଅପସାରଣ, ପୃଥିବୀ ସମ୍ପଦର ନ୍ୟାୟସଙ୍ଗତ ଭାବରେ ବଣ୍ଟନ ଇତ୍ୟାଦି ।

 

ଏହିନିୟମକୁ କିପରି ପାଳନ କରାଯାଏ ?

 

ନିମ୍ନରେ ଦିଆଯାଇଥିବା ଦୁଇଟି ସ୍ଵତନ୍ତ୍ର ବିଷୟ ବ୍ୟତୀତ ଜଣେ ବିଶ୍ଵାସୀଙ୍କ ଅଧିକୃତ ସମସ୍ତ ସମ୍ପତ୍ତି ଉପରେ ଗୋଟିଏ ଥର ପାଇଁ ହୁକୁକୁଲ୍ଲା ବା “ଈଶ୍ଵରଙ୍କ ଅଧିକାର” ପ୍ରଦାନ କରାଯାଏ-। ମାତ୍ର ଧନ ବା ସମ୍ପତ୍ତି ହସ୍ତାନ୍ତରିତ ହୋଇଗଲେ, ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ପୁନଶ୍ଚ ହୁକୁକୁଲ୍ଲା ଦେବାପାଇଁ ପଡ଼ିବ ।

 

୧)ନିଜର ବାସଗୃହ ଓ ଆବଶ୍ୟକୀୟ *ଆସବାବପତ୍ର, ଏବଂ

 

୨)ନିଜର ବ୍ୟବସାୟୀକ ଓ କୃଷି ଯନ୍ତ୍ରପାତି ଯାହାମାଧ୍ୟମରେ ଜୀବିକା ନିର୍ବାହ କରାଯାଏ । ଯେତେବେଳେ ସମସ୍ତ ଖର୍ଚ୍ଚ** ପରେ ଜଣେ ବିଶ୍ଵାସୀଙ୍କ ଅଧିକୃତ ସମ୍ପତ୍ତି ୧୯ ମିଥକାଲ*** ସ୍ଵର୍ଣ୍ଣର ମୂଲ୍ୟ ସହିତ ସମାନ ବା’ ତାହାଠାରୁ ଅଧିକ ହୋଇଯାଏ, ତେବେ ତାହାର ଶତକଡ଼ା ୧୯ ଭାଗ ହୁକୁକୁଲ୍ଲା ବା “ଈଶ୍ଵରଙ୍କ ଅଧିକରା” ହିସାବରେ ଦିଆଯାଏ । ଅର୍ଥାତ୍, ଯଦି ଜଣେ ବିଶ୍ଵାସୀଙ୍କର ସମ୍ପତ୍ତି ୧୦୦ ମିଥ୍‌କାଲ ସ୍ଵର୍ଣ୍ଣର ମୂଲ୍ୟ ସହିତ ସମାନ ବା’ ଏହାଠାରୁ ଅଧିକ ହୋଇଯାଏ, ତେବେ ୧୯ ମିଥ୍‌କାଲ ସ୍ଵର୍ଣ୍ଣର ମୂଲ୍ୟ ବା ତତୋଽଧିକ ହୁକୁକୁଲ୍ଲା ହିସାବରେ ଈଶ୍ଵରଙ୍କ ପ୍ରାପ୍ୟ ଅଟେ । ଯେଉଁ ସମ୍ପତ୍ତି ବା ସଞ୍ଚୟ ଉପରେ ଥରେ “ଈଶ୍ଵରଙ୍କ ଅଧିକାର” ପ୍ରଦାନ କରିଦିଆଯାଏ, ତାହା ବିଶ୍ଵାସୀଙ୍କର ନିଜର ହୋଇଯାଏ ଏବଂ କେବଳ ହସ୍ତାନ୍ତର ବ୍ୟତୀତ ଅନ୍ୟ କୌଣସି କ୍ଷେତ୍ରରେ ତା’ଉପରେ ପୁନର୍ବାର “ଈଶ୍ଵରଙ୍କ ଅଧିକାର” ପ୍ରଦାନ କରାଯାଏ ନାହିଁ । ପୁନଶ୍ଚ, ଯେତେବେଳେ ସମସ୍ତ ଖର୍ଚ୍ଚ** ପରେ ବିଶ୍ଵାସୀଙ୍କର ପରବର୍ତ୍ତୀ ସଞ୍ଚୟ ବା’ ସମ୍ପତି ୧୯ ମିଥ୍‌କାଲ ସ୍ଵର୍ଣ୍ଣର ମୂଲ୍ୟ ସହିତ ସମାନ ବା’ ତାହାଠାରୁ ଅଧିକ ହୁଏ, ସେତେବେଳେ ଏହାର ଶତକଡ଼ା ୧୯ ଭାଗ ପୁନର୍ବାର ପ୍ରଦାନକରାଯାଏ ।

 

*ନିଜ ପରିବାର ନିମନ୍ତେ କେଉଁ ଆସବାବପତ୍ର ଆବଶ୍ୟକ ତାହା ବିଶ୍ଵାସୀଙ୍କ ବିବେକ ସ୍ଥିର କରିବା ଉଚିତ ।

 

**ସମସ୍ତ ଖର୍ଚ୍ଚ ଅର୍ଥାତ୍‍ ନିଜର ପାରିବାରିକ ଖର୍ଚ୍ଚ, ବ୍ୟବସାୟ କ୍ଷତି ଓ ବିକ୍ରୟ ନିମନ୍ତେ ଖର୍ଚ୍ଚ ତଥା ସରକାରଙ୍କୁ ଦିଆଯାଉଥିବା କର ଓ ଅନ୍ୟାନ୍ୟ ଖର୍ଚ୍ଚ ଇତ୍ୟାଦି ।

 

***ମିଥ୍‌କାଲ ଆରବିକ୍ ଭାଷାରେ ଏକ ପରିମାଣ ଅଟେ ଏବଂ ୧୯ ମିଥକାଲ୍ ପରିମାଣର ସ୍ଵର୍ଣ ୬୯.୨ ଗ୍ରାମ ସ୍ଵର୍ଣ୍ଣ ସହିତ ପ୍ରାୟ ସମାନ ।

 

ଯଦି ବିଶ୍ଵାସୀ କୌଣସି ଉପହାର ତଥା ଇଚ୍ଛାପତ୍ର ଦାନ ଗ୍ରହଣ କରନ୍ତି ତେବେ ତାହା ମଧ୍ୟ ତାଙ୍କ ଆୟରେ ମିଶିଯାଏ ।

 

ଉପରୋକ୍ତ ନିୟମ ଅନୁଯାୟୀ ଯଦିଓ କେବେଳ ସର୍ତ୍ତଗୁଡ଼ିକୁ ପୂରଣ କରୁଥିବା ବାହ’ଈମାନେ ଏହି ନିୟମ ପାଳନ କରନ୍ତି ତଥାପି ମଧ୍ୟ ଯେକୌଣସି ବାହ’ଈ ତାଙ୍କ ସାମର୍ଥ୍ୟ ଅନୁଯାୟୀ “ହୁକୁକୁଲ୍ଲା” ଅନୁଦାନ ହିସାବରେ ପ୍ରଦାନ କରିପାରିବେ ।

 

ସାଧରଣତଃ “ହୁକୁକୁଲ୍ଲା” ଅଭିଭାବକ ଶୋଘି ଏଫେଣ୍ଡିଙ୍କ ଦ୍ୱାରା ନିଯୁକ୍ତ ହୁକୁକୁଲ୍ଲାର ଜିମ୍ମାଦାରଙ୍କୁ ଦିଆଯାଇଥାଏ । ବର୍ତ୍ତମାନ ଈଶ୍ଵରଙ୍କ ଧର୍ମଭୁଜ ଶ୍ରୀଯୁକ୍ତ ଭାର୍କ ହୁକୁକୁଲ୍ଲାର ଜିମ୍ମାଦାର ଭାବରେ କାର୍ଯ୍ୟ କରୁଛନ୍ତି । ଶ୍ରୀଯୁକ୍ତ ଭାର୍କଙ୍କର ପିତାଙ୍କୁ ପ୍ରୀୟ ଅଭିଭାବକ ହୁକୁକୁଲ୍ଲାର ଜିମ୍ମାଦାର ଭାବରେ ଦାୟିତ୍ୱ ଦେଇଥିଲେ ଏବଂ ତାଙ୍କ ଅନ୍ତେ ଶ୍ରୀଯୁକ୍ତ ଭାର୍କ ବର୍ତ୍ତମାନ ସେହି କାର୍ଯ୍ୟ କରୁଛନ୍ତି । ତାଙ୍କର ସହକାରୀ ଓ ସହକାରୀମାଙ୍କର ପ୍ରତିନିଧି ବର୍ଗ ପ୍ରତ୍ୟେକ ଦେଶ ଓ ରାଜ୍ୟ ସ୍ତରରେ ଅଛନ୍ତି । ଓଡ଼ିଶାର ବାହ’ଈମାନେ ମଧ୍ୟ ଏଠାରେ ରହୁଥିବା ଏହାର ପ୍ରତିନିଧିଙ୍କୁ “ଈଶ୍ଵରଙ୍କ ଅଧିକାର” ପ୍ରଦାନ କରିପାରିବେ । ୧୯୯୨ ମସିହା ରିଜ୍‌ଭାନ ପର୍ବ ପୂର୍ବରୁ ଏହି ନିୟମର ପାଳନ କେବଳ ଇରାନୀୟ ବାହ’ଈମାନଙ୍କ ନିମନ୍ତେ ବାଧ୍ୟତାମୂଳକ ଥିଲା । ୧୯୯୨ ମସିହା ରିଜ୍‌ଭାନଠାରୁ ବିଶ୍ଵନ୍ୟାୟ ମନ୍ଦିରଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଏହି ନିୟମ ସମସ୍ତ ବାହ’ଈମାନେ ପାଳନ କରିବା ଉଚିତ ଏବଂ ଏହାର ପାଳନ ବାଧ୍ୟତାମୂଳକ ଅଟେ ।

 

‘ହୁକୁକୁଲ୍ଲା’ ନିୟମର ପାଳନ ସମ୍ପୂର୍ଣ୍ଣଭାବରେ ସ୍ଵେଚ୍ଛାକୃତ ଅଟେ ଏବଂ ଏହାକୁ ପ୍ରଦାନ କରିବାପାଇଁ କୌଣସି ବ୍ୟକ୍ତିବିଶେଷ ବା’ ଅନୁଷ୍ଠାନ କେହି ବାଧ୍ୟ କରନ୍ତି ନାହିଁ । ଏହି ନିୟମ ସମ୍ବନ୍ଧୀୟ ବିଷଦ ତଥ୍ୟ ବାହ’ଓଲ୍ଲହ୍‍ ନିର୍ଦ୍ଧାରଣ କରିନାହାନ୍ତି ଏବଂ ଏହି ନିୟମର ପାଳନକୁ ବ୍ୟକ୍ତିବିଶେଷଙ୍କ ବିବେକର ନିଷ୍ପତ୍ତି ଉପରେ ଛାଡ଼ିଦିଆ ଯାଇଛି । ଉଦାହରଣ ସ୍ଵରୂପ, ନିଜର ଆବଶ୍ୟକୀୟ ଖର୍ଚ୍ଚ କ’ଣ, ତାହା ଜଣେ ବିଶ୍ଵାସୀ ନିଜେ ନିଷ୍ପତ୍ତି କରିପାରିବେ । ହୁକୁକୁଲ୍ଲା ନିୟମର ପାଳନ ଦ୍ଵାରା ସଂଗୃହିତ ଅର୍ଥ ଜନହିତୈଷି କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ଯଥା ଗରୀବ, ବିକଳାଙ୍ଗ, ଅନାଥମାନଙ୍କ ଥଇଥାନ ଇତ୍ୟାଦି । ଏତଦ୍‌ବ୍ୟତୀତ ବିଶ୍ଵନ୍ୟାୟ ମନ୍ଦିରଙ୍କ ନିଷ୍ପତ୍ତି ଅନୁଯାୟୀ ଧର୍ମର କେତେକ ମୁଖ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ ।

 

ଏହି ନିୟମର ବିଷୟରେ ଅନ୍ୟାନ୍ୟ ତଥ୍ୟ

 

୧) ହୁକୁକୁଲ୍ଲା ପାଣ୍ଠିର ଖର୍ଚ୍ଚ ବିଷୟରେ କେବଳ ବିଶ୍ଵନ୍ୟାୟ ମନ୍ଦିରହିଁ ନିଷ୍ପତ୍ତି କରିପାରିବେ ।

 

୨) ହୁକୁକୁଲ୍ଲା ନିୟମର ପାଳନ ଏତେ ଗୁରୁତ୍ଵପୂର୍ଣ୍ଣ ଯେ ବାହ’ଓଲ୍ଲହ୍ ଜଣେ ବିଶ୍ଵାସୀଙ୍କୁ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ସ୍ଵାଧୀନଭାବରେ ବଣ୍ଟନ କରିବାର ଅଧିକାରକୁ ମଧ୍ୟ ସୀମିତ କରିଛନ୍ତି ଅର୍ଥାତ୍ ଜଣେ ବିଶ୍ଵାସୀ ନିଜ ସମ୍ପତ୍ତିକୁ କିଭଳି ଭାବରେ ବଣ୍ଟନ କରିବେ ସେ ବିଷୟରେ ସେ ସ୍ଵାଧୀନ ଅଟନ୍ତି ମାତ୍ର ସର୍ତ୍ତ ହେଉଛି ଯେ ବିଶ୍ଵାସୀଙ୍କ ଋଣ ପରିଶୋଧ ଓ ଅନ୍ତେଷ୍ଟିକ୍ରୀୟା ଖର୍ଚ୍ଚ ତଥା ହୁକୁକୁଲ୍ଲା ନିୟମ ପାଳନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା ହୋଇଥିବା ଆବଶ୍ୟକ ଅଟେ ।

 

୩) ପାଣ୍ଠିକୁ ପ୍ରଦାନ କରିବା ଦ୍ଵାରା ଜଣେ ବିଶ୍ଵାସୀ ହୁକୁକୁଲ୍ଲା ନିୟମକୁ ପାଳନ କରିବାଠାରୁ ଅବ୍ୟାହତି ପାଆନ୍ତି ନାହିଁ । କାରଣ ପାଣ୍ଠି ସହିତ ଏହି ନିୟମର କିଛି ସମ୍ପର୍କ ନାହିଁ । ଜଣେ ବିଶ୍ଵାସୀ ପାଣ୍ଠିକୁ ଦେଇ ନିଜ ତ୍ୟାଗର ପ୍ରଦର୍ଶନ କରିଥାନ୍ତି ମାତ୍ର ହୁକୁକୁଲ୍ଲା ନିୟମର ପାଳନ ସହିତ ତ୍ୟାଗର କିଛି ସମ୍ପର୍କ ନାହିଁ । ଏହାକୁ ପାଳନ କରିବା ସମସ୍ତଙ୍କର ଆଧ୍ୟାତ୍ମିକ କର୍ତ୍ତବ୍ୟ ଅଟେ ଏବଂ ଏହି ନିୟମର ପାଳନ ଏହାର ସର୍ତ୍ତ ପୂରଣ କରୁଥିବା ପ୍ରତ୍ୟକ ବାହ’ଈମାନଙ୍କ ନିମିନ୍ତେ ବାଧ୍ୟତାମୂଳକ ଅଟେ । ବିଶ୍ଵାସୀମାନେ ମନେରଖିବା ଉଚିତ ଯେ ହୁକୁକୁଲ୍ଲା ନିୟମ ପାଳନ କରିବା ପାଈଁ ସେମାନଙ୍କୁ ଉତ୍ସାହିତ କରାଯାଇନାହିଁ ବରଂ ଆଧ୍ୟାତ୍ମିକ ଭାବରେ ଏହା ସେମାଙ୍କର କର୍ତ୍ତବ୍ୟ ଅଟେ କାରଣ ହୁକୁକୁଲ୍ଲା ବାହ’ଓଲ୍ଲହ୍‌ଙ୍କର ଏକ ଉପଦେଶ ନୁହେଁ ମାତ୍ର ନିୟମ ଅଟେ ।

 

୪) ଜଣେ ବିଶ୍ଵାସୀଙ୍କ ଆଧ୍ୟାତ୍ମିକ ପରିପକ୍ଵତା ଉପରେ ଏହି ନିୟମର ପାଳନ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରେ । ନିଜର ପାରିବାରିକ ଖର୍ଚ୍ଚର ପରିମାଣ, ବାସଗୃହ ସଂଖ୍ୟା ଓ ଅନ୍ୟାନ୍ୟ ଖର୍ଚ୍ଚ ଉପରେ ଜଣେ ବିଶ୍ଵାସୀ ନିଜେ ନିଷ୍ପତ୍ତି କରିପାରିବେ । ଏପରିକି ଯଦି ତାଙ୍କ ବିବେକ ଅନୁମତି ଦିଏ ତେବେ ସେ ପାଣ୍ଠିକୁ ଅନୁଦାନ ଦେଉଥିବା ପରିମାଣ ମଧ୍ୟ ନିଜର ଆବଶ୍ୟକୀୟ ଖର୍ଚ୍ଚ ହିସାବରେ ଦର୍ଶାଇ ପାରିବେ । ତେଣୁ ଏହି ନିୟମର ଉପଯୁକ୍ତ ପାଳନ ଜଣେ ବିଶ୍ଵାସୀଙ୍କର ଈଶ୍ଵର ପ୍ରେମ ଓ ଅନୁରକ୍ତତା ପରିଚୟ ଦିଏ । ଜଣେ ବିଶ୍ଵାସୀ ନିଜର ଆବଶ୍ୟକୀୟ ଖର୍ଚ୍ଚ ବୃଦ୍ଧି କରି କିମ୍ବା ଅବ୍ୟାହତି ଦିଆଯାଇଥିବା ସମ୍ପତ୍ତିକୁ କ୍ରୟକରି ଏହି ନିୟମର ପାଳନଠାରୁ ନିଜକୁ ଦୂରରେ ରଖିପାରନ୍ତି କିମ୍ବା ସେହି ବିଶ୍ଵାସୀ ମଧ୍ୟ ନିଜର ଆବଶ୍ୟକୀୟ ଖର୍ଚ୍ଚ ଓ ଅବ୍ୟାହତି ଦିଆଯାଇଥିବା ସମ୍ପତ୍ତିକୁ ନିଜର “ଠୁଳ ସମ୍ପତ୍ତି” ଭାବରେ ହିସାବକୁ ଆଣି ହୁକୁକୁଲ୍ଲା ନିୟମକୁ ବିଶ୍ଵସ୍ତ ଭାବରେ ପାଳନ କରିପାରନ୍ତି । ଉପରୋକ୍ତ ଦୁଇଟି ଯାକ ପସନ୍ଦ ବିଶ୍ଵାସୀଙ୍କ ଈଶ୍ଵରଙ୍କ ଭକ୍ତି ଉପରେ ନିର୍ଭର କରେ ।

 

୫ )ବିନା ଦ୍ଵିଧାରେ ଏବଂ ଆନନ୍ଦର ସହିତ ଏହି ନିୟମର ପାଳନ କରାଯିବା ଉଚିତ । ନଚେତ ଏହା ଈଶ୍ଵରଙ୍କ ଦରବାରରେ ଗ୍ରହଣୀୟ ହୁଏ ନାହିଁ । ବିଶ୍ଵାସୀ କୁଣ୍ଠାବୋଧତାର ସହିତ ଉକ୍ତ ନିୟମ ପାଳନ କଲେ ତାହା ଭଗବାନଙ୍କ ଦରବାରରେ ଗ୍ରହଣୀୟ ହୋଇପାରେ ନାହିଁ । ମାତ୍ର ଯେତେବେଳେ ଜଣେ ବିଶ୍ଵାସୀ ସରଳ ହୃଦୟରେ ଏହି ନିୟମ ପାଳନ କରି ସେ ପରାମାତ୍ମାଙ୍କ ଅଶୀର୍ବାଦ ଗ୍ରହଣ କରନ୍ତି । ଏ କ୍ଷେତ୍ରରେ ହୁକୁକୁଲ୍ଲା ଅନୁଦାନର ପରିମାଣର କୌଣସି ଗୁରୁତ୍ଵ ନଥାଏ । କାରଣ ଯେକୌଣସି ବିଶ୍ଵାସୀ ଯଦିଓ ସେ ହୁକୁକୁଲ୍ଲା ନିୟମର ସର୍ତ୍ତ ପୂରଣ ମଧ୍ୟ ନକରନ୍ତି, ତେବେ ମଧ୍ୟ ନିଜ ଇଚ୍ଛା ଓ ସାମର୍ଥ୍ୟ ଅନୁଯାୟୀ ହୁକୁକୁଲ୍ଲା ପ୍ରଦାନ କରିବା ପାଇଁ ଯୋଗ୍ୟ ଅଟନ୍ତି ।

 

ସେ ହିଁ ଆଶିଷପ୍ରାପ୍ତ ବ୍ୟକ୍ତି, ଯେ ଏହି ନିୟମ ପାଳନ କରେ

 

ଯେଉଁ ବିଶ୍ଵାସୀ ଉକ୍ତ ନିୟମକୁ ଆନନ୍ଦରେ ପାଳନ କରେ, ସେ ଆଶିଷପ୍ରାପ୍ତ ଓ ସୁରକ୍ଷିତ ଅଟେ । ସେ ସମ୍ମାନ ଓ ପ୍ରଗତି ହାସଲ କରେ, ତାଙ୍କର ସମ୍ପତ୍ତି ବିଶୁଦ୍ଧ ହୋଇଯାଏ ଏବଂ କ୍ଷତି ତଥା ଦୁର୍ଘଟଣା ଦୂରେଇଯାଏ । ଏହି ନିୟମ ପାଳନର ଉତ୍ତମ ପ୍ରଭାବ ବିଶ୍ଵାସୀଙ୍କ ଉପରେ ପୃଥିବୀ ଓ ସ୍ଵର୍ଗର ସାମ୍ରାଜ୍ୟ ତିଷ୍ଠିରହିବା ପର୍ଯ୍ୟନ୍ତ ବର୍ଷିତ ହେଉଥିବ । ଭଗବାନଙ୍କ ସହିତ ଅବିଶ୍ଵସ୍ତ ଭାବରେ ବ୍ୟବହାର କଲେ ସମ୍ପତ୍ତି ଶତ୍ରୁମାନଙ୍କ ହସ୍ତରେ ଚାଲିଯାଏ । କାରଣ ଈଶ୍ଵର ନିଜେ ଏଭଳି ପରିସ୍ଥିତି ସୃଷ୍ଟି କରନ୍ତି ଯାହା ଫଳରେ ଅନ୍ୟମାନେ ବ୍ୟକ୍ତିବିଶେଷଙ୍କ ସମ୍ପତ୍ତିରେ ହସ୍ତକ୍ଷେପ କରନ୍ତି । ଭଗବାନଙ୍କର ନିଖୁଣ ବିଜ୍ଞତା, ଯେକୌଣସି ପ୍ରକାର ବର୍ଣ୍ଣନାଠାରୁ ଊର୍ଦ୍ଧ୍ୱରେ ରହିଛି । ଏହି ନିୟମକୁ ପାଳନ କରିବା ଯଦିଓ ବିଶ୍ଵାସୀଙ୍କର ଅନିବାର୍ଯ୍ୟ କର୍ତ୍ତବ୍ୟ ଅଟେ ତଥାପି ଏହାକୁ ପାଳନ କରି ସେ ଭଗବାନଙ୍କୁ ଅନୁଗ୍ରହ କରିଛନ୍ତି ବୋଲି ଚିନ୍ତା ନ କରନ୍ତୁ । କାରଣ ଭଗବାନ ବାସ୍ତବିକ ସମସ୍ତ ସମୟରେ ସମସ୍ତଙ୍କ ଊର୍ଦ୍ଧ୍ୱରେ ସ୍ଵାଧୀନ ଅଟନ୍ତି । ଏହି ନିୟମକୁ ଏକନିଷ୍ଠଭାବରେ ପାଳନ କଲେ ବିଶ୍ଵାସୀଙ୍କ ହୃଦୟ ତଥା ଆତ୍ମାଉପରେ ଅକଳ୍ପନୀୟ ଆଧ୍ୟାତ୍ମିକ ପ୍ରଭାବ ପତିତ ହୋଇଥାଏ । ନିଜର ସମ୍ପତ୍ତିକୁ ବିଶୁଦ୍ଧ ଓ ସୁରକ୍ଷିତ ରଖିବାପାଇଁ ତଥା ଈଶ୍ଵରଙ୍କ ଉପରେ ନିଜ ପ୍ରେମର ନିଦର୍ଶନ ସ୍ଵରୂପ ଏବଂ ଏକ ନିଖୁଣ ନମ୍ରତାର ହୃଦୟରେ ଏହି ନିୟମ ପାଳନ କରାଗଲେ, ଏହା ସେହି ବିଶ୍ଵାସୀଙ୍କ ପ୍ରତି ସମସ୍ତ ଉତ୍ତମତାର ଉତ୍ସରୂପେ ପରିଣତ ହୋଇଥାଏ । ବାହ’ଓଲ୍ଲହ୍ କହିଛନ୍ତି ଯେ “ଏହା ଅତ୍ୟନ୍ତ ସ୍ପଷ୍ଟ ଯେ ‘ଈଶ୍ଵରଙ୍କ ଅଧିକାର’ ପ୍ରତି ପ୍ରଦାନ ହିଁ ଉନ୍ନତି, ଆଶୀର୍ବାଦ, ସମ୍ମାନ ଓ ସ୍ଵର୍ଗୀୟ ସୁରକ୍ଷା ନିମିତ୍ତ ସହାୟକ ଅଟେ । ଯେ ଏହାକୁ କଳ୍ପନା ଓ ସ୍ଵୀକାର କରିବେ ସେ ଉତ୍ତମତ୍ତା ହାସଲ କରିବେ ଏବଂ ଯେ ଏହା ବିଶ୍ଵାସ ନ କରିବେ ତାଙ୍କୁ କ୍ଳେଶ ଆକ୍ରମଣ କରିବ ଏବଂ ସର୍ତ୍ତମଧ୍ୟ ଏହା ରହିଛି ଯେ ବିଶ୍ଵାସୀ ପବିତ୍ର ଲେଖାବଳୀରେ ନିହିତ ନିର୍ଦ୍ଦେଶକୁ ଅତ୍ୟନ୍ତ ଆଗଭରତା, ଆନନ୍ଦତା ଓ ସଦ୍ଇଚ୍ଛାର ସହିତ ପାଳନ କରିବେ । ବନ୍ଧୁମାନଙ୍କୁ ଯାହା ଠିକ୍ ଓ ପ୍ରଶଂସିତ ତାହା କରିବାପାଇଁ ସେମାନଙ୍କୁ ଉପଦେଶ ଦେବାକୁ ତୁମ ଉପରେ ଏହା କର୍ତ୍ତବ୍ୟ ସ୍ୱରୂପ ନିପତିତ ହୋଇଛି । ଏହି ଆହ୍ଵାନକୁ ଯେ କାର୍ଯ୍ୟକାରୀ କରିବେ ତାଙ୍କ ନିଜର ଏହାଦ୍ୱାରା ଉପକାର ହେବ ଏବଂ ଯେ ଏହାକୁ ଶ୍ରବଣ କରିବାକୁ ଅକ୍ଷମ ହେବେ ସେ ନିଜର କ୍ଷତିକୁ ଆହ୍ଵାନ କରିବେ । ଆମ ଦୟାର ଈଶ୍ଵର ସର୍ବ-ପୂରଣକାରୀ ଓ ସର୍ବ-ପ୍ରଶଂସିତ ତ ଅଟନ୍ତି ।”

 

ହୁକୁକୁଲ୍ଲା ପ୍ରଦାନ କରିବା ପାଇଁ ପ୍ରାର୍ଥନା

 

ହେ ମୋର କାରୁଣିକ ପ୍ରଭୁ, ତୁମ୍ଭେ ଗୌରବାନ୍ଵିତ ହୁଅ: ତୁମ ପବିତ୍ର ବାଣୀର ମହାସାଗରରେ ଆଲୋଡ଼ନ, ତୁମ ସର୍ବ-ମହାନ୍ ସାର୍ବଭୌମିତ୍ଵର ପ୍ରତୀକ, ତୁମେ ସ୍ଵର୍ଗୀୟତାର ପ୍ରବର୍ତ୍ତନକାରୀ ପ୍ରମାଣ, ଏବଂ ତୁମ ଜ୍ଞାନ ମଧ୍ୟରେ ଲୁକ୍କାୟିତ ହୋଇ ରହିଥିବା ଗୁପ୍ତ ରହସ୍ୟର ଦ୍ଵାହି ଦେଇ ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି ଯେ ତୁମ୍ଭର ଏବଂ ତୁମ ମନୋନୀତଗଣଙ୍କ ସେବା କରିବା ପାଇଁ ମୋତେ ତୁମ୍ଭ ଅନୁଗ୍ରହ ପ୍ରଦାନ କର, ଏବଂ ନିଜ କର୍ତ୍ତବ୍ୟ ସ୍ୱରୂପ ମୁଁ ଈଶ୍ୱରଙ୍କ ଅଧିକାର ପ୍ରଦାନ କରିବା ପାଇଁ ମୋତେ ସକ୍ଷମ କରାଅ, ଯେଉଁ ଅଧିକାରକୁ ତୁମେ ତୁମ୍ଭ ପବିତ୍ର ଗ୍ରନ୍ଥରେ ନିର୍ଦ୍ଧାରିତ କରିଛ ।

 

ହେ ମୋର ପ୍ରଭୁ, ମୁଁ ହିଁ ତୁମ୍ଭ ଜ୍ୟୋତିର ସାମ୍ରାଜ୍ୟ ପ୍ରତି ଅନୁରାଗ ରଖିଛି, ଏବଂ ବଦାନ୍ୟତାର ବସ୍ତ୍ରାଂଚଳକୁ ଦୃଢ଼ଭାବରେ ଜାବୋଡ଼ି ଧରିଛି । ହେ ସମସ୍ତ ପ୍ରାଣୀଙ୍କ ପ୍ରଭୁ ଏବଂ ସମସ୍ତ ନାମର ସାମ୍ରାଜ୍ୟର ଶାସକ, ତୁମ୍ଭର ଯାହା ଅଧିକୃତ ସେହି ବସ୍ତୁକୁ ମୋତେ ଦେବାକୁ ଅସ୍ଵୀକାର ନକରିବା ପାଇଁ, ଏବଂ ତୁମ୍ଭ ମନୋନୀତଗଣଙ୍କ ପାଇଁ ତୁମେ ଯାହା ନିର୍ଦ୍ଧାରିତ କରିଛ ତା’ଠାରୁ ତୁମେ ମୋତେ ଅଟକାଇ ନ ରଖିବା ପାଇଁ ମୁଁ ତୁମ୍ଭ ନିକଟରେ ଅନୁନୟ କରୁଛି ।

 

ହେ ସମସ୍ତ ନାମର ପ୍ରଭୁ ଓ ସ୍ଵର୍ଗ ରାଜ୍ୟର ସୃଷ୍ଟିକର୍ତ୍ତା, ମୁଁ ତୁମକୁ ବିନୀତ ଅନୁରୋଧ କରୁଛି ଯେ ତୁମ ବଳିଷ୍ଠକାରୀ ଅନୁଗ୍ରହ ମାଧ୍ୟମରେ ତୁମ ଧର୍ମରେ ଏକନିଷ୍ଠ ହେବାପାଇଁ ମୋତେ ତୁମେ ଏଭଳି ଭାବରେ ସାହାଯ୍ୟକର ଯେପରି ପୃଥିବୀର ଅବାସ୍ତବ ବସ୍ତୁ ସମୂହ ମୋତେ ଏକ ପରଦା ଭଳି ବହିର୍ଭୂତ କରାଇ କ୍ଷତିଗ୍ରସ୍ତ ନକରାନ୍ତୁ ଏବଂ ତୁମ ଦିବସ ମାନଙ୍କରେ ଆବିର୍ଭୂତ ହୋଇଥିବା ଦୁରାଚାରଗଣ ଯେଉଁମାନେ ଏପରି କି ତୁମ ଜନଗଣଙ୍କୁ ପଥଭ୍ରଷ୍ଟ କରାଉଥିଲେ, ସେମାନଙ୍କ ହିଂସାପରାୟଣ ବିପ୍ଳବ ଦ୍ଵାରା ମୁଁ ଯେପରି ବାଧାପ୍ରାପ୍ତ ନହୁଏ । ହେ ମୋର ହୃଦୟର ଅଭିପ୍‌ସା, ତେବେ ମୋ ପାଇଁ ଏ ପୃଥିବୀର ଓ ଆଗାମୀ ପୃଥିବୀର କଲ୍ୟାଣ ବିଧିତ କର । ବାସ୍ତବିକ୍ ଯାହା ତୁମେ ଇଛାକର, ତାହା କରିବା ପାଇଁ ତୁମେ କ୍ଷମତାଶୀଳ ଅଟ । ତୁମ ବ୍ୟତୀତ ଅନ୍ୟ ଈଶ୍ଵର ନାହାନ୍ତି; ତୁମେ ହିଁ ସର୍ବ-କ୍ଷମତାଶୀଳ ଓ ସର୍ବ-ବଦାନ୍ୟ ।

 

ବାହ‘ଓ’ଲ୍ଲହ୍

Image